ମହାମାରୀ କରୋନା ଭାଇରସ୍ ପାଇଁ ସାରା ବିଶ୍ବ ସଙ୍କଟ ଦେଇ ଗତି କରୁଛି। ଏହି ଭାଇରସ୍ ର ମୁକାବିଲା କରିବା ପାଇଁ ସାରା ଦେଶ ଲକ୍ଡାଉନ୍। ଏଥିପାଇଁ ସାଧାରଣ ଜୀବନଯାତ୍ରା ଠପ୍ ହୋଇଯାଇଛି। ଲକ୍ଡାଉନ୍ ଏବଂ କୋଭିଡ୍-୧୯ ଜନିତ ଆର୍ଥିକ ଚାପ କାରଣରୁ ରାଜ୍ୟର ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନମାନେ ସହାନୁଭୂତି ସମ୍ପନ୍ନ ହୋଇ ଏପ୍ରିଲ୍ ମାସରୁ ଜୁନ୍ ମାସ ପର୍ଯ୍ୟନ୍ତ ସ୍କୁଲ୍ ଫି’ ହ୍ରାସ କରିବା କିମ୍ବା ଫି’ ପୈଠ ତାରିଖ ପରିବର୍ତ୍ତନ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି।
ଟୁଇଟରେ କୁହାଯାଇଛି ଯେ, ଲକ୍ଡାଉନ୍ ଯୋଗୁ ଅଭିଭାବକଙ୍କ ଉପରେ ଆର୍ଥିକ ଚାପ ରହିବ। ଏହାକୁ ଦୃଷ୍ଟିରେ ରଖି ସବୁ ଘରୋଇ ଶିକ୍ଷାନୁଷ୍ଠାନ ସହାନୁଭୂତି ଦେଖାଇ ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ ତିନି ମାସର ସ୍କୁଲ ଫି’ କମାଇ ଦିଅନ୍ତୁ ନ ହେଲେ ଏହାକୁ ଘୁଞ୍ଚାଇ ଦିଅନ୍ତୁ। ସ୍କୁଲ ଫି’ ହ୍ରାସ କଲେ ଅଭିଭାବକଙ୍କ ଉପରେ ବୋଝ ପଡ଼ିବନି। ଏହାସହ ଲକ୍ଡାଉନ୍ ଯୋଗୁ ଯେଉଁ ଅଭିଭାବକଙ୍କ ଆୟ ଗଭୀର ଭାବେ ପ୍ରଭାବିତ ହୋଇଛି, ସେମାନଙ୍କୁ ଏହା ଦ୍ୱାରା ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦର୍ଶାଯାଇଛି।
କରୋନା ମୁକାବିଲା ପାଇଁ ଗତକାଲି ରାଜ୍ୟ ସରକାୀ ଲକ୍ଡାଉନ୍ ଅବଧିକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ବେଳେ ଜୁନ୍ ୧୭ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର।